• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ

ଯ଼େତେବେଳେ ଅବିଭକ୍ତ ପୁରୀ ଜିଲ୍ଲା ତିନିଗୋଟି ସ୍ୱତନ୍ତ୍ର ଜିଲ୍ଲାରେ ବିଭକ୍ତ ହେଲା, ଓଡିଶାର ଏକ ପ୍ରଶାସନିକ ଜିଲ୍ଲା ଭାବରେ ୧୯୯୩ ମସିହା ଏପ୍ରିଲ ପହିଲା ଦିନ ନୟାଗଡ ଜିଲ୍ଲା ସୃଷ୍ଟି ହେଲା । ଜିଲ୍ଲାଟି ଉତ୍ତରରେ କଟକ ଜିଲ୍ଲା, ପଶ୍ଟିମରେ କନ୍ଧମାଳ ଜିଲ୍ଲା, ଦକ୍ଷିଣରେ ଗଞ୍ଜାମ ଜିଲ୍ଲା ଏବଂ ପୂର୍ବରେ ଖୋର୍ଦ୍ଧା ଜିଲ୍ଲା ଦ୍ୱାରା ପରିବେଷ୍ଟିତ । ନୟାଗଡ ଜିଲ୍ଲାର ଜନ୍ମ ଇତିହାସ କହେ ପ୍ରାୟ ତ୍ରୟୋଦଶ ଶତାବ୍ଦୀ ବେଳକୁ ଓଡିଶାର ରାଜନୈତିକ ଇତିହାସରେ ନୟାଗଡ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅକ୍ତିଆର କରିଥିଲା । ମଧ୍ୟ ପ୍ରଦେଶର ବାଘେଲା ବଂଶର ରାଜା ସୂର୍ଯ୍ୟମଣି ତୀର୍ଥଭ୍ରମଣରେ ପୁରୀ ଆସିଲେ ଏବଂ ନୟାଗଡଠାରେ ନିଜ ରାଜ୍ୟ ପ୍ରତିଷ୍ଠା କଲେ ।ଚାରିଗୋଟି ଗଡଜାତ ଯ଼ଥା- ରଣପୁର, ନୟାଗଡ, ଖଣ୍ଡପଡା ଓ ଦଶପଲ୍ଲାକୁ ନେଇ ନୟାଗଡ ଜିଲ୍ଲା ଗଠିତ ହୋଇଅଛି । ଆଦିମ ଶବର, କନ୍ଧମାନେ ନୟାଗଡ ଜିଲ୍ଲାର ସ୍ଥାନୀୟ ବାସିନ୍ଦା ଅଟନ୍ତି ।ନୟାଗଡ ଜିଲ୍ଲା ୧୯0 ୫୪’  ଠାରୁ ୨୦0  ୩୨’ ମିନିଟ ଉତ୍ତର ଅକ୍ଷାଂଶ ଏବଂ ୮୪0 ୨୯’ ମିନିଟ ଠାରୁ ୮୫0 ୨୭’ ମିନିଟ ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ । ଜିଲ୍ଲାଟି ପଶ୍ଚିମରେ ବିସ୍ତାରିତ ପାହାଡିଆ ଅଞ୍ଚଳ ଏବଂ ଉତ୍ତର ପୂର୍ବ ପାର୍ଶ୍ୱରେ କ୍ଷୁଦ୍ର, କ୍ଷୁଦ୍ର ଝରଣା ଦ୍ୱାରା ପରସ୍ପରକୁ ଛେଦ କରୁଥିବା ଚାଷୋପଯ଼ୋଗୀ ଉର୍ବର ଉପତ୍ୟକା ସୃଷ୍ଟି ହୋଇଅଛି ରେ ଅବସ୍ଥିତ ।

୩୮୯୦ ବର୍ଗ କିଲୋମିଟର ଭୌଗୋଳିକ କ୍ଷେତ୍ରଫଳ ବିଶିଷ୍ଟ ନୟାଗଡ ଜିଲ୍ଲା ଜନସଂଖ୍ୟା ୨୦୧୧ ଜନଗଣନା ଅନୁସାରେ ସମୁଦାୟ ୯୬୨୭୮୯ ଅଟେ । ଜିଲ୍ଲାର ସମୁଦାୟ ପୁରୁଷ ଜନସଂଖ୍ୟା ୫୦୨୬୩୬ଏବଂ ମହିଳା ଜନସଂଖ୍ୟା ୪୬୦୧୫୩ ଅଟେ । ପ୍ରଶାସନିକ ସଂପୃକ୍ତି ଦୃଷ୍ଟିରୁ ଜିଲ୍ଲା ନୟାଗଡ ଜିଲ୍ଲାର ଏକମାତ୍ର ସବ୍-ଡିଭିଜନ ନୟାଗଡ ଅଟେ । ଜିଲ୍ଲାରେ ୮ଗୋଟି ତହସିଲ, ୮ଗୋଟି ବ୍ଳକ, ୧୪ ଗୋଟି ଥାନା,୧୯୬ଗୋଟି ଗ୍ରାମପଞ୍ଚାୟତ ଏବଂ ୧୭୦୨ ଗୋଟି ଗ୍ରାମ କାର୍ଯ୍ୟ କରୁଅଛନ୍ତି । ଜିଲ୍ଲାରେ ଉଷ୍ଣମଣ୍ଡଳୀୟ ଜଳବାୟୁ ଅନୁଭୁତ ହୁଏ ଯ଼ାହାଦ୍ୱାରା ଖରାଦିନେ ଅତ୍ୟାଧିକ ଗରମ ଏବଂ ଶୀତଦିନେ ଅତ୍ୟାଧିକ ଥଣ୍ଡା ଅନୁଭୂତ ହୁଏ । ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୪୦ଡିଗ୍ରୀ ସେଲସିଅସରୁ ଅଧିକ (ଗ୍ରୀଷ୍ମଋତୁ) ଏବଂ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ ରୁ କମ ( ଶୀତଋତୁ) ଅନୁଭୂତ ହୁଏ । ମୌସୁମୀ ସମୟରେ ସାଧାରଣତଃ ଅତ୍ୟାଧିକ ବର୍ଷା ହୁଏ ଯ଼ାହା ଦକ୍ଷିଣ ପଶ୍ଚିମ ମୋସୁମୀବାୟୁ ଦ୍ୱାରା ପ୍ରଭାବିତ ହୋଇଥାଏ ।

ଜିଲ୍ଲାର ସାକ୍ଷରତା ହାର ୮୦.୪୨ %। ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟରେ ରଘୁନାଥ ସମବାୟ ମହାବିଦ୍ୟାଳୟ, ରଣପୁର ମହାବିଦ୍ୟାଳୟ, ପଠାଣି ସାମନ୍ତ ମହାବିଦ୍ୟାଳୟ, ନୟାଗଡ ସ୍ୱୟଂଶାସିତ ମହାବିଦ୍ୟାଳୟ ଅନ୍ୟତମ ।

ନୟାଗଡ ଜିଲ୍ଲାର ଖ୍ୟାତିସଂପନ୍ନ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରେ ବୈଷ୍ଣବ କବି ସଦାନନ୍ଦ, କବିସୂର୍ଯ଼୍ୟ ବ୍ରହ୍ମା, ଭକ୍ତକବି ଭକ୍ତଚରଣ, ଉତ୍କଳ ଘଣ୍ଟ ଯ଼ଦୁମଣି ଅନ୍ୟତମ
ଜିଲ୍ଲା ବର୍ଷତମାମ ଅନେକ ମେଳା ମହୋତ୍ସବ ପାଳନ କରିଥାଏ । ଦଶପଲ୍ଲାର ରାବଣପୋଡି, ନୟାଗଡ ସହରର ପଣାସଙ୍କ୍ରାନ୍ତି, ଶରଣକୁଳରେ ଶ୍ରୀ ଲଡୁବାବାଙ୍କର ମହାଶିବରାତ୍ରୀ, କଣ୍ଟିଲୋରେ ମାଘସପ୍ତମୀ, ଚନ୍ଦନଯାତ୍ରା,ଓଡଗାଁରେ ରାମନବମୀ ଏବଂ ନୟାଗଡଠାରେ ଅନୁଷ୍ଠିତ ରଥଯ଼ାତ୍ରା ଜିଲ୍ଲାର ମୁଖ୍ୟ ମେଳା ଭାବରେ ପରିଗଣିତ।